ଆପକୁ ବଡ଼ ଝଟକା! ବିଜେପିରେ ସାମିଲ ହେବେ ରାଘବ ଚଢ଼ା, ଅଧିକାଂଶ ସାଂସଦଙ୍କ ସହ ପଦ୍ମ ଶିବିରରେ ମିଶିବେ


ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଆମ ଆଦମୀ ପାର୍ଟି (ଆପ୍) ପାଇଁ ଏକ ବଡ଼ ଧରଣର ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢ଼ା ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେବା ନେଇ ଘୋଷଣା କରିଛନ୍ତି। କେବଳ ସେ ଏକା ନୁହଁନ୍ତି, ତାଙ୍କ ସହ ଆପ୍ର ପ୍ରାୟ ଦୁଇ-ତୃତୀୟାଂଶ ରାଜ୍ୟସଭା ସାଂସଦ ମଧ୍ୟ ପଦ୍ମ ଶିବିରକୁ ଯିବାକୁ ପ୍ରସ୍ତୁତ ହେଉଥିବା ସେ ସୂଚନା ଦେଇଛନ୍ତି। ଦଳ ମଧ୍ୟରେ ରାଘବଙ୍କୁ କିଛି ଦିନ ପୂର୍ବରୁ କୋଣଠେସା କରାଯିବା ପରେ ଏହି ନିଷ୍ପତ୍ତି କେଜ୍ରିୱାଲଙ୍କ ପାଇଁ ଏକ ଶକ୍ତ ଧକ୍କା ବୋଲି କୁହାଯାଉଛି।ଆଜି ଅପରାହ୍ନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅଶୋକ ମିତ୍ତଲ ଓ ସନ୍ଦୀପ ପାଠକଙ୍କ ଉପସ୍ଥିତିରେ ରାଘବ ଏହି ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ହରଭଜନ ସିଂହ ଏବଂ ସ୍ୱାତି ମାଲିୱାଲଙ୍କ ଭଳି ପ୍ରମୁଖ ଚେହେରାମାନେ ମଧ୍ୟ ତାଙ୍କ ସହ ବିଜେପିରେ ସାମିଲ ହେବାକୁ ଯାଉଛନ୍ତି। ଦଳ ଛାଡ଼ିବାର କାରଣ ଦର୍ଶାଇ ରାଘବ କହିଛନ୍ତି ଯେ, ଯେଉଁ ଆମ ଆଦମୀ ପାର୍ଟି ଦୁର୍ନୀତି ବିରୁଦ୍ଧରେ ଲଢ଼ିବା ପାଇଁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲା, ସେ ଏବେ ସ୍ୱଚ୍ଛ ରାଜନୀତିରୁ ଦୂରେଇ ଯାଇଛି। ରାଘବ ଅତ୍ୟନ୍ତ ଭାବପ୍ରବଣ ହୋଇ କହିଛନ୍ତି, "ମୁଁ ମୋ ଜୀବନର ୧୫ ବର୍ଷ ଏହି ଦଳକୁ ଦେଇଥିଲି, କିନ୍ତୁ ବର୍ତ୍ତମାନ ଏହି ଦଳ ସାଧୁତା ଓ ସଚ୍ଚୋଟତାର ପଥ ହରାଇଛି। ମୁଁ ଜଣେ ''ରାଇଟ୍ ମ୍ୟାନ୍'' ଯିଏ କି ଏକ ''ରଙ୍ଗ ପାର୍ଟି''ରେ ରହିଯାଇଥିଲି। ତେଣୁ ମୁଁ ଦଳଠାରୁ ଦୂରେଇ ଯାଇ ଜନସାଧାରଣଙ୍କ ନିକଟତର ହେବା ପାଇଁ ବିଜେପିକୁ ବାଛିଛି।" ରାଜ୍ୟସଭାରେ ଆପର ଏଭଳି ବୃହତ ବିଭାଜନ ଜାତୀୟ ରାଜନୀତିରେ ଏକ ନୂଆ ମୋଡ଼ ଆଣିଛି। ଅନ୍ୟପଟେ ବିଜେପି ଏହି ମିଶ୍ରଣ ଦ୍ୱାରା ଉପର ସଦନରେ ନିଜର ଶକ୍ତି ବୃଦ୍ଧି କରିବାକୁ ଯାଉଛି।


Post a Comment

0 Comments