୧୭ ବର୍ଷର ପରିଶ୍ରମ ପରେ ବାସ୍ତବ ହେଲା ମାଧବୀ ଲତାଙ୍କ ସ୍ବପ୍ନ: ଚେନାବ ସେତୁ ପଛରେ ରହିଛି ଏହି ଯନ୍ତ୍ରୀଙ୍କ ଭୂମିକା

 


ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଚେନାବ ନଦୀ ଉପରେ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦ୍‌ଘାଟନ କରିଥିଲେ। ଏହି ଇଞ୍ଜିନିୟରିଂ ଚମତ୍କାର ଉଧମପୁର-ଶ୍ରୀନଗର-ବାରମୁଳା ରେଳ ଲିଙ୍କ୍ (ୟୁଏସ୍‌ବିଆର୍‌ଏଲ୍‌) ପ୍ରକଳ୍ପର ଏକ ପ୍ରମୁଖ ଅଂଶ ଏବଂ ବର୍ତ୍ତମାନ କାଶ୍ମୀର ଉପତ୍ୟକାକୁ ରେଳ ମାଧ୍ୟମରେ ବାକି ଭାରତ ସହିତ ସଂଯୋଗ କରିଛି। ତେବେ ଏହାରି ପଛରେ ଏମିତି ଜଣେ ମହିଳାଙ୍କ ହାତ ଅଛି ଯାହାଙ୍କ କଠିନ ପରିଶ୍ରମ ଏବେ ନୂଆ ସଫଳତା ଆଣିଛି | ହଁ ଆମେ ମାଧବୀ ଲତାଙ୍କ କଥା କହୁଛୁ | ସେ ଓ ତାଙ୍କ ଦଳର ନିରନ୍ତର କଠିନ ପରିଶ୍ରମର ଫଳ ଯେ ଭାରତ ଜମ୍ମୁ ଏବଂ କାଶ୍ମୀରର ଦୁର୍ଗମ ଅଞ୍ଚଳରେ ବିଶ୍ୱର ସବୁଠାରୁ ଉଚ୍ଚ ରେଳ ସେତୁ ନିର୍ମାଣ କରିପାରିଛି। ବାଙ୍ଗାଲୋରର ଭାରତୀୟ ବିଜ୍ଞାନ ସଂସ୍ଥାନ (IISc)ର ପ୍ରଫେସର ମାଧବୀ ଲତା ଚେନାବ ସେତୁ ନିର୍ମାଣରେ ବହୁତ ଅବଦାନ ରଖିଛନ୍ତି। ମାଧବୀ ଲତା କେବଳ ଏହି ସେତୁ ଡିଜାଇନ୍ କରି ନଥିଲେ ବରଂ ଏହାର ନିର୍ମାଣରେ ମଧ୍ୟ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ। ମାଧବୀ ଲତା ୧୯୯୨ ମସିହାରେ ଜବାହରଲାଲ ନେହେରୁ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟରୁ ସିଭିଲ୍ ଇଞ୍ଜିନିୟରିଂରେ ବି.ଟେକ୍ ଡିଗ୍ରୀ ହାସଲ କରିଥିଲେ। ଏହା ପରେ, ସେ ୱାରାଙ୍ଗଲର ଏନଆଇଟିରୁ ଏମଟେକରେ ସ୍ୱର୍ଣ୍ଣ ପଦକ ପାଇଥିଲେ। ମାଧବୀ ଏଠାରେ ଅଟକି ନଥିଲେ, ସେ ୨୦୦୦ ମସିହାରେ ତାଙ୍କର ପିଏଚଡି ସମାପ୍ତ କରିଥିଲେ। ୨୦୦୪ ମସିହାରେ ଭାରତୀୟ ବିଜ୍ଞାନ ସଂସ୍ଥାନରେ ଯୋଗଦେବା ପୂର୍ବରୁ ସେ ଆଇଆଇଟି ଗୌହାଟୀରେ ମଧ୍ୟ ପାଠ ପଢ଼ାଉଥିଲେ । ବର୍ତ୍ତମାନ ମାଧବୀ ଲତା ଭାରତୀୟ ବିଜ୍ଞାନ ସଂସ୍ଥାନରେ ଜଣେ ବରିଷ୍ଠ ପ୍ରଫେସର। ମାଧବୀ ଲତା ୨୦୨୧ ମସିହାରେ ଶ୍ରେଷ୍ଠ ମହିଳା ଜିଓଟେକ୍ନିକାଲ୍ ଗବେଷକ ଉପାଧି ମଧ୍ୟ ପାଇଥିଲେ। ଉଲ୍ଲେଖ ଥାଉ କି ଚେନାବ ସେତୁ ୨୭୨ କିଲୋମିଟର ଦୀର୍ଘ ୟୁଏସ୍‌ବିଆର୍‌ଏଲ୍‌ ପ୍ରକଳ୍ପର ଏକ ଅଂଶ, ଯାହାର ମୂଲ୍ୟ ପ୍ରାୟ ୪୩,୭୮୦ କୋଟି ଟଙ୍କା ଏବଂ ଏଥିରେ ୩୬ଟି ଟନେଲ୍‌ (୧୧୯ କିଲୋମିଟର) ଏବଂ ୯୪୩ଟି ପୋଲ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପ କାଶ୍ମୀର ଉପତ୍ୟକା ଓ ଦେଶର ବାକି ଅଞ୍ଚଳ ମଧ୍ୟରେ ସର୍ବକାଳୀନ, ନିରବଚ୍ଛିନ୍ନ ରେଳ ଯୋଗାଯୋଗ ସ୍ଥାପନ କରିବ। ୧୪୮୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଚେନାବ ରେଳ ସେତୁ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଓ ଇଞ୍ଜିନିୟରିଂର ଚମତ୍କାର। ନଦୀଠାରୁ ୩୫୯ ମିଟର ଉଚ୍ଚ, ପ୍ୟାରିସ୍‌ ଆଇଫିଲ୍‌ ଟାୱାରଠାରୁ ୩୫ ମିଟର ଉଚ୍ଚ ଏବଂ ଦିଲ୍ଲୀ କୁତବମିନାରଠାରୁ ପ୍ରାୟ ୫ ଗୁଣ  ଉଚ୍ଚ ଏହି ପୋଲରେ ୨୮,୬୬୦ ମେଗାଟନ୍ ଇସ୍ପାତ ବ୍ୟବହାର କରାଯାଇଛି। ଯାହା ଉଭୟ ଶୂନ୍ୟ ତାପମାତ୍ରା ଓ ଅତ୍ୟଧିକ ଉତ୍ତାପକୁ ସହ୍ୟ କରିବାରେ ସକ୍ଷମ। ଶକ୍ତିଶାଳୀ ଭୂମିକମ୍ପକୁ ପ୍ରତିହତ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏହି ପୋଲରେ ଅତ୍ୟାଧୁନିକ ନିରାପତ୍ତା ବୈଶିଷ୍ଟ୍ୟ ରହିଛି।

Post a Comment

0 Comments